2000 ଟଙ୍କିଆ ନୋଟ୍ କୁ ନେଇ ବିବାଦ ! ଗ୍ରାହକଙ୍କ ହାତରେ 2000 ନୋଟ୍ ଦେଖି ଗାଡିରୁ ପେଟ୍ରୋଲ କାଢି ନେଲେ ପେଟ୍ରୋଲ ପମ୍ପ କର୍ମଚାରୀ !

ଆଜ୍ଞା ହଁ, ଏଭଳି ଏକ ଅଜବ ଭିଡିଓକୁ ନେଇ ସୋସିଆଲ ମିଡିଆରେ ବିବାଦ ଆରମ୍ଭ ହୋଇଛି । ଗତ ମେ’ 19 ତାରିଖ ଦିନ ମାର୍କେଟରୁ ସମସ୍ତ 2000 ନୋଟ ପ୍ରତ୍ୟାହାର କରି ନେବାକୁ ନିଷ୍ପତ୍ତି ଶୁଣାଇଥିଲେ କେନ୍ଦ୍ର ସରକାର ।

ଏଥିପାଇଁ ସେପ୍ଟେମ୍ବର 30 ଯାଏଁ ସମୟ ଦେଇଥିବା ବେଳେ 2000 ଟଙ୍କା ବଦଳାଇବା ପାଇଁ ଲୋକଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳିଛି । 2000 ଟଙ୍କିଆ ନୋଟ୍ ଅଚଳ ଘୋଷଣା ପରଠାରୁ ଲୋକେ ଅଧିକ ସୁନା କିଣୁଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉତ୍ତରପ୍ରଦେଶର ଜଲୋନର ଏକ ପେଟ୍ରୋଲ ପମ୍ପରେ ଜଣେ ଗ୍ରାହକଙ୍କ ଗାଡିରୁ ପେଟ୍ରୋଲ ପମ୍ପ କର୍ମଚାରୀ ପକାଇଥିବା ପେଟ୍ରୋଲ କାଢି ନେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବ୍ୟକ୍ତିଜଣକ ପେଟ୍ରୋଲ ପକାଇବା ପରେ କର୍ମଚାରୀଙ୍କ ହାତକୁ 2000 ଟଙ୍କିଆ ନୋଟ୍ ବଢାଇ ଦେଇଥିଲେ । କର୍ମଚାରୀ 2000 ନୋଟ୍ ନେବାକୁ ମନା କରିବା ସହ ବ୍ୟକ୍ତିଙ୍କ ଗାଡିରୁ ପେଟ୍ରୋଲ କାଢି ନେଇଥିଲେ ।

ସେପ୍ଟେମ୍ବର 30 ଯାଏଁ 2000 ଟଙ୍କାର ପ୍ରଚଳନ ବୈଧ ଥିବାବେଳେ ପେଟ୍ରୋଲ ପମ୍ପ କର୍ମଚାରୀ ଏଭଳି କରିବା ନିୟମ ବିରୁଦ୍ଧ ବୋଲି ସମସ୍ତେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଭିଡିଓଟି ଟ୍ବିଟରରେ ଭାଇରାଲ ହେବା ପରେ ଜଲୋନ ପୋଲିସ ଏନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି କମେଣ୍ଟ କରିଛି ।

ତେବେ ଏନେଇ ଉକ୍ତ ପେଟ୍ରୋଲ ପମ୍ପ ର ମ୍ୟାନେଜର ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି କି, 2000 ନୋଟ ଅଚଳ ଘୋଷିତ ହେବା ପରେ ଗ୍ରାହକମାନେ ବହୁଳ ମାତ୍ରାରେ 2000 ଟଙ୍କିଆ ନୋଟ୍ ଦେଉଛନ୍ତି । ଅଳ୍ପ ମାତ୍ରାରେ ତେଲ ପକାଇ ସେମାନେ 2000 ଟଙ୍କିଆ ନୋଟ ବଦଳ କରିବାକୁ ଚାହୁଁଛନ୍ତି ।

ଯେଉଁଥି ପାଇଁ ଅର୍ଥ କାରବାରରେ ସମସ୍ଯା ହେଉଛି । ଯଦି କେହି 2000 ଟଙ୍କାର ପେଟ୍ରୋଲ ପକାନ୍ତି ତେବେ ଆମେ ଏହି ନୋଟ ନେବାକୁ ମନା କରୁନାହୁଁ ବୋଲି ସେ କହିଛନ୍ତି । ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *