ପାକିସ୍ତାନରେ ପଡିଛି ହାହାକାର…କେଉଁଠି ଭୁଷୁଡି ପଡୁଛି ଅଟ୍ଟାଳିକା ତ କେଉଁଠି ଭାସି ଯାଉଛି ପୋଲ…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଭୁଷୁଡି ପଡୁଛି ଅଟ୍ଟାଳିକା, ଭାସି ଯାଉଛି ପୋଲ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଡ଼ୋଶୀ ପାକିସ୍ତାନରେ । ଅବିଶ୍ରାନ୍ତ ବର୍ଷା ଜନିତ ପ୍ରଳୟଙ୍କରୀ ବନ୍ୟା, ଗ୍ରାସ କରିଛି ସମଗ୍ର ପାକିସ୍ତାନକୁ । ପଞ୍ଜାବ ଓ ସିନ୍ଧ୍ ପ୍ରଦେଶର ଦକ୍ଷିଣାଞ୍ଚଳ, ଖାଇବର ପଖତୁନଖ୍ୱା, ବେଲୋଚିସ୍ତାନ ଏବଂ ଗିଲଗିଟ୍ ବଲ୍‌ଚିସ୍ତାନ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଦେଶର ଏକ ତୃତୀୟାଂଶ ଅଞ୍ଚଳ ପାଣିରେ ବୁଡି ରହିଥିବା କହିଛନ୍ତି ପାକିସ୍ତାନର ପରିବେଶ ମନ୍ତ୍ରୀ ସେରୀ ରେହମାନ୍ ।

ତେବେ ୧୫୦ ଜିଲ୍ଲା ମଧ୍ୟରୁ ୧୧୦ ଜିଲ୍ଲାରେ ସ୍ଥିତି ଅତି ସଂଗୀନ । ବନ୍ୟା ଯୋଗୁଁ ୧୧ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ତେବେ ଉଦ୍‌ବେଗର ବିଷୟ ହେଉଛି ଏମାନଙ୍କର ଏକ ତୃତୀୟାଂଶ ହେଉଛନ୍ତି ଛୋଟ ପିଲା । ସେହିପରି ପ୍ରାୟ ୨ ହଜାର ଲୋକ ଆହତ ହୋଇଛନ୍ତି । ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।

ତେବେ ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ସମୁଦ୍ର କେଉଁଠି, ସ୍ଥଳଭାଗ କେଉଁଠି ଠଉରେଇବା ମୁସ୍କିଲ । ଏମିତିକି ସ୍ଥଳଭାଗ ଦିଶୁନଥିବାରୁ ଉଦ୍ଧାର ଓ ରିଲିଫ କାମରେ ନିୟୋଜିତ ହେଲିକପ୍ଟର ବି ଅବତରଣ କରିପାରୁନାହିଁ । ସ୍ୱାତ୍ ବନ୍ୟାରେ ଖାଇବର ପଖତୁନ୍‌ଖ୍ୱା ପ୍ରଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠିକାର ଚର୍ସଦା ଜିଲ୍ଲାର ପ୍ରାୟ ୨ ଲକ୍ଷ ଏବଂ ନୌସେରାର ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ତେବେ ଅଧିକାଂଶ ଲୋକ ଇସଲାମାବାଦ୍-ପେଶାଓ୍ୱର ରାଜପଥରେ ଆଶ୍ରୟ ନେଇଛନ୍ତି । ସମଗ୍ର ପାକିସ୍ତାନରେ ୧୦ ଲକ୍ଷରୁ ଅଧିକ ଘର ବନ୍ୟା ପାଣିରେ ଧୋଇ ଯାଇଛି । ତେଣୁ ଖୋଲା ଆକାଶ ତଳେ ଦିନ କାଟିବା ବ୍ୟତୀତ ଲୋକଙ୍କ ପାଖରେ ଚାରା ନାହିଁ । ପାକିସ୍ତାନ ସ୍ଥଳ, ବାୟୁ ଓ ନୌସେନାକୁ ରିଲିଫ ଓ ଉଦ୍ଧାର କାମରେ ନିୟୋଜିତ କରାଯାଇଛି ।

ତେବେ ଏଥିରେ ବାଧକ ସାଜିଛି ଅବିଶ୍ରାନ୍ତ ବର୍ଷା । ଖାଦ୍ୟ ଓ ପିଇବା ପାଣିର ଅଭାବ, ସ୍ଥିତିକୁ ଉତ୍କଟ କରିଛି । ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଓ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ବନ୍ୟା ପୀଡ଼ିତଙ୍କୁ ଭେଟିବା ସହ, ସରକାର ସେମାନଙ୍କ ସହାୟତା ଲାଗି ସବୁ ପ୍ରକାର ଉଦ୍ୟମ କରୁଥିବା ଆଶ୍ୱାସନା ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ବନ୍ୟା ପୀଡ଼ିତଙ୍କ ଥଇଥାନ ଲାଗି ଅର୍ଥ ଯୋଗାଡ଼ରେ ଲାଗିଛନ୍ତି ।


ତେଣେ ଆମେରିକା, ବ୍ରିଟ୍ରେନ୍, ୟୁରୋପୀୟ ଓ ଆରବ ଦେଶ ସମୂହ ପାକିସ୍ତାନକୁ ସହାୟତାର ହାତ ବଢାଇଛନ୍ତି । ପାକିସ୍ତାନରେ ଜନଜୀବନ ହାନିକୁ ନେଇ ପୋପ୍ ଫ୍ରାନସିସ୍ ଗଭୀର ଦୁଖ ପ୍ରକାଶ କରିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି  । ତେବେ ଭୟଙ୍କର ବନ୍ୟା ପାକିସ୍ତାନର କୃଷି ଉତ୍ପାଦନକୁ ଗୁରୁତର ପ୍ରଭାବିତ କରିଛି ।

ଛିଡା ହୋଇଥିବା ଫସଲ ପାଣିରେ ବୁଡି ସଢି ଯାଇଛି । ଏଣୁ ପାକିସ୍ତାନ ଗୁରୁତର ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଥିବା ବେଳେ ଭାରତରୁ ଖାଦ୍ୟ ପଦାର୍ଥ ଓ ପନିପରିବା କିଣିବା ଲାଗି ବିଚାର କରାଯାଇ ପାରେ ବୋଲି ଅର୍ଥମନ୍ତ୍ରୀ ମିଫ୍ତା ଇସ୍ମାଇଲ ସୋମବାର କହିଛନ୍ତି । ପାକିସ୍ତାନ ଦୀର୍ଘ ବର୍ଷରୁ ଭାରତ ସହ ସମସ୍ତ ବ୍ୟବସାୟୀକ ସମ୍ପର୍କ ଛିନ୍ନ କରିଛି । ଭାରତର ଖାଦ୍ୟ ଶସ୍ୟ ଆମଦାନୀ ପାକିସ୍ତାନ ଲାଗି ସହଜ ଓ ଶସ୍ତା ହୋଇଥିଲେ ମଧ୍ୟ ଇମ୍ରାନ ଖାନ ସରକାର ବାଣିଜ୍ୟ ବ୍ୟବସାୟ ବନ୍ଦ କରି ଦେଇଥିଲେ ।

ଏବେ ପାକିସ୍ତାନ ଗୁରୁତର ସଂକଟର ସମ୍ମୁଖୀନ ହୋଇଛି । ବନ୍ୟା ଭଳି ଜାତୀୟ ବିପଦରେ ହୁଏତ ପାକିସ୍ତାନ ଭାରତର ସହଯୋଗ ଲୋଡିପାରେ । କୁହାଯାଉଛି ପୂର୍ବତନ ସୁରକ୍ଷା ପରାମର୍ଶଦାତା ଏମ.ୟୁସୁଫ ଭାରତ ସହ ବ୍ୟବସାୟ ଲାଗି କିଛି ପ୍ରସ୍ତାବରେ କାମ କରୁଥିଲେ ବୋଲି ଜଣାପଡିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ହୁଏତ ସରକାର ଭାରତ ସହ ପୁଣି ବାଣିଜ୍ୟିକ ସମ୍ପର୍କ ସ୍ଥାପନା କରିପାରନ୍ତି ବୋଲି ଦେଶ ବାସୀ ଆଶା କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *