ନମସ୍କାର ବନ୍ଧୁଗଣ ତେବେ ଅଭାବୀ ପରିବାର ମୁହଁରେ ଦାନା ଗଣ୍ଡେ ଦେବା ପାଇଁ ଦାଦନ ଖଟିବାକୁ ପୁଅ ଶ୍ରୀଲଙ୍କା ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ କୁମାରପଡ଼ା ଗଁାର ମାଗୁଣି ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫)ଙ୍କ କ୍ଷେତ୍ରରେ । ୪ବର୍ଷ ପୂର୍ବେ ପଡ଼ୋଶୀ ବନ୍ଧପଡ଼ା ଗଁାର ଠିକାଦାର ନଳିନୀକାନ୍ତ ସାମଲ ଦାଦନ ଖଟିବାକୁ ବିଦେଶକୁ କମଳାକାନ୍ତଙ୍କୁ ନେଇଥିଲେ ।
ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଅଶୋକ ଷ୍ଟିଲ୍ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିଃରେ ମାସକୁ ୧୬ ହଜାର ଟଙ୍କା ଚୁକ୍ତିରେ ଶ୍ରମିକ ଭାବେ କାମ କରୁଥିଲେ । ପରିବାର ପ୍ରତିପୋଷଣ ପାଇଁ ଘରକୁ ମାସକୁ ମାସ ଟଙ୍କା ପଠାଉଥିଲେ । ଗୁରୁବାର କଲମ୍ବୋରୁ ବନ୍ଧପଡ଼ା ଠିକାଦାର ନଳିନୀକାନ୍ତଙ୍କ ନିକଟକୁ ଫୋନ କଲ୍ ଆସିଲା ଯେ କମଳାକାନ୍ତଙ୍କ ମୃତ୍ୟୁ ହୋଇଯାଇଛି ।
ଠିକାଦାର ଏହି ଖବର ଶ୍ରମିକ ପରିବାରକୁ ଭେଟି କହିଥିଲେ । ଏହାପରେ ପରିବାର ଲୋକେ ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କମଳାକାନ୍ତ ୨ ଦିନ ତଳେ ମା’ ବାପା ଓ ଭଉଣୀଙ୍କ ସହ ଫୋନ୍ରେ କଥା ହୋଇଥିଲେ । ସାନଭଉଣୀକୁ ବୁଝାଇଥିଲେ ତୁ ବ୍ୟସ୍ତ ହୁଅନା, ଆସନ୍ତା ୨୫ ତାରିଖରେ ଘରକୁ ଗଲେ ତୋ ପାଇଁ କାନଫୁଲ ନେଇକି ଯିବି । ଗାଁରେ ପକ୍କାଘର ନିର୍ମାଣ ପାଇଁ ସାଙ୍ଗରେ ଟଙ୍କା ନେବି ବୋଲି ବାପାଙ୍କୁ କହିଥିଲେ । ହେଲେ ପୁଅର ମୃତ୍ୟୁ ଖବରକୁ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ।
ତେବେ ଅପରପକ୍ଷରେ କମଳାକାନ୍ତ ୬ ଲକ୍ଷ ଟଙ୍କା ଘରକୁ ପଠାଇଛନ୍ତି ବୋଲି ପରିବାର ଲୋକଙ୍କୁ କଲମ୍ବୋରୁ କେହି ଜଣେ ଫୋନ୍ କରି କହିଥିଲେ । ଗୋଟେପଟେ ପୁଅର ମୃତ୍ୟୁ ଅନ୍ୟପକ୍ଷେ ୬ ଲକ୍ଷ ଟଙ୍କା ପଠାଇଛି ବୋଲି ଖବର ମିଳିବାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ବଢ଼ିଥିଲା । ଖବର ପାଇବା ପରେ ମୃତ କମଳାକାନ୍ତଙ୍କ ବାପା ମାଗୁଣି ଓ ବଡ଼ବାପା ଉମାକାନ୍ତ ମହାକାଳପଡ଼ା ଥାନା ଓ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।
ତେବେ ପୁଅର ମୃତ୍ୟୁ ଖବର ପାଇବା ଦିନଠାରୁ ଘରେ ଚୂଲି ଜଳି ନ ଥିବା ବେଳେ ମୃତଦେହ କିପରି ବିଦେଶରୁ ଆସିବ ସେ ନେଇ ଚିନ୍ତାରେ ପଡିଥିଲେ । ତେବେ ଓଡ଼ିଶା ମୋ ପରିବାର ସହଯୋଗ ଓ କମଳାକାନ୍ତ କାର୍ଯ୍ୟ କରୁଥିବା ଷ୍ଟିଲ୍ କମ୍ପାନି ସହାୟତାରେ ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲା । ତେବେ ୨୫ ରେ ଆସିବେ କହିଥିଲେ ଏବଂ ଶବ ହୋଇ ସେହି ୨୫ ରେ ଆସିଲେ ।
ମନ୍ତ୍ରୀ ତଥା ଓଡିଶା ମୋ ପରିବାରର ସହ ଆବାହକ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ସୁରେନ୍ଦ୍ରନାଥ ମହାପାତ୍ର ଓ ଓଡିଶା ମୋ ପରିବାରର ଏକ ଟିମ୍ ଅଭିଷେକ ପାଣିଗ୍ରାହୀ ସେଠାରେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଗ୍ରହଣ କରି ନିଜ ଗାଁ କୁମାରପଡାକୁ ପଠାଇବାର ବନ୍ଦୋବସ୍ତ କରିଥିଲେ । ମୃତଦେହ ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁ ଶ୍ମଶାନରେ କମଳାକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।