ନମସ୍କାର ବନ୍ଧୁଗଣ ତେବେ ୫/୬ ଦିନ ହେଲା ନିଖୋଜ ହୋଇଯାଇଛନ୍ତି ସ୍ବାମୀ । ଆଖିରୁ ଲୁହ ଶୁଖୁନି ସ୍ତ୍ରୀ ସରସ୍ବତୀଙ୍କର । ଚର୍ଚ୍ଚା ହେଉଛି ଅଜଗର ଗିଳି ଦେଇଛି ତାଙ୍କ ସ୍ବାମୀଙ୍କୁ । ଜଙ୍ଗଲ ଭିତରେ ଏବେ ଯେଉଁଠି ଅଜଗର ଶୋଇଛି ସେହି ସ୍ଥାନଠାରୁ ମାତ୍ର ୭୦୦/୮୦୦ ମିଟର ଦୂରରୁ ଉଦ୍ଧାର କରାଯାଇଛି ତାଙ୍କ ସ୍ବାମୀ, ଫେରି ବ୍ୟବସାୟୀ ନନ୍ଦ କିଶୋର ବେହେରା(୭୭)ଙ୍କ ଚପଲ, ଲୁଗାପଟା ଓ ଗାଡି । କିନ୍ତୁ, ସେହି ସ୍ଥାନ ହେଉଛି ଅଭୟାରଣ୍ୟର ରେଡ୍ ଜୋନ ।
ଡମପଡା-ଚନ୍ଦକା ଅଭୟାରଣ୍ୟ ପାଦ ଦେଶରେ ଥିବା ୫ଖଣ୍ଡ ଗାଁକୁ ଫେରି ବେପାର ପାଇଁ ଗତ ୨୮ ତାରିଖରୁ ଘରୁ ବାହାରିଥିଲେ ନନ୍ଦକିଶୋର । ଏପଟେ ବନବିଭାଗର ଯୁକ୍ତି ହେଲା ଅଜଗର କ’ଣ ମଣିଷ ଗିଳିପାରିବ ? ସେ ଅନ୍ୟକିଛି ଜନ୍ତୁକୁ ଗିଳିଛି । ସେପଟେ ପୁଲିସ କହୁଛି ଆମେ ମାମଲା ରୁଜୁ କରି ତଦନ୍ତ କରୁଛୁ । ଗାଡ଼ି ମିଳିଲା, ଚପଲ ମିଳିଲା, ହେଲେ ଫେରି ବ୍ୟବସାୟୀ ଗଲେ କୁଆଡ଼େ ?
ରେଡ୍ ଜୋନ ପର୍ଯ୍ୟନ୍ତ ତାଙ୍କ ଗାଡି ଗଲା କେମିତି ? ଏହାକୁ ନେଇ ୬ଦିନ ହେଲା ଲାଗି ରହିଥିବା ରହସ୍ୟ ଉନ୍ମୋଚିତ ହୋଇପାରୁନି । ଅନ୍ୟପଟେ ଆଜି ଘଟଣା ଭିନ୍ନ ମୋଡ଼ ନେଇଛି । ନିଖୋଜ ବ୍ୟବସାୟୀଙ୍କ ପରିବାରବର୍ଗ ବନବିଭାଗକୁ ଦାୟୀ କରି ବାଙ୍କୀ ଥାନାରେ ଅନ୍ୟ ଏକ ଏତଲା ଦେଇଛନ୍ତି । ଘଟଣାକୁ ଚପାଇ ଦେବାକୁ ବନବିଭାଗ ଉଦ୍ୟମ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସ୍ବାମୀଙ୍କୁ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ସରସ୍ବତୀ ।
ତେବେ କଟକ ଜିଲ୍ଲା ମୁଣ୍ଡଳୀ ପଞ୍ଚାୟତସ୍ଥିତ ଥୋରିଆପାଟଣା ସାହିର ବାସିନ୍ଦା ନନ୍ଦକିଶୋର ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ଫେରି ବେପାର କରି ପରିବାର ଚଳାନ୍ତି । ପରିବାର କହିଲେ ନନ୍ଦ କିଶୋର ଓ ତାଙ୍କ ପତ୍ନୀ ସରସ୍ୱତୀ (୭୩) । ପୁଅ କି ଝିଅ ନଥିବା ବେଳେ ତାଙ୍କ ପୁତୁରା ରାମଚନ୍ଦ୍ର ଦାଦା-ଖୁଡ଼ିଙ୍କ ଦେଖାଶୁଣା କରିଥାନ୍ତି । ଗତ ରବିବାର ଅର୍ଥାତ୍ ୨୮ତାରିଖ ଦିନ ନନ୍ଦକିଶୋର ବ୍ୟବସାୟ ସାରି ଘରକୁ ନ ଫେରିବାରୁ ପୁତୁରା ରାମଚନ୍ଦ୍ର ଓ ପରିବାର ଲୋକେ ଜଙ୍ଗଲ ଭିତରେ ରହୁଥିବା ଲୋକଙ୍କୁ ସାଙ୍ଗରେ ଧରି ବହୁ ଖୋଜାଖୋଜି କରିଥିଲେ ।
କିନ୍ତୁ, ପାଇନଥିଲେ । ଶେଷରେ ନିଖୋଜ ଥିବା ନେଇ ପରିବାର ଲୋକେ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ବନ ବିଭାଗକୁ ସାଙ୍ଗରେ ନେଇ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି କରିଥିଲେ । ଘଟଣାସ୍ଥଳରୁ ନନ୍ଦକିଶୋରଙ୍କ ଗାଡ଼ି ଓ ଲୁଗାପଟା ମିଳିଥିଲା । ନନ୍ଦକିଶୋରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବନବିଭାଗ ଏହି ଘଟଣାରେ କୌଣସି ତତ୍ପରତା ଦେଖାଉ ନାହିଁ ।
ବନବିଭାଗ ପକ୍ଷରୁ ଡମପଡା ରେଞ୍ଜର ବିରାଜ ଦାସ ଅଜଗର ଗିଳି ଦେଇଥିବା କଥାକୁ ଅସ୍ବୀକାର କରିବା ସହ ଉକ୍ତ ଅଜଗର ସାପଟି ଏକ ଜଙ୍ଗଲୀ ଜନ୍ତୁ ଗିଳିଥିବା କହିଛନ୍ତି । ନନ୍ଦକିଶୋରଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ, ଜଙ୍ଗଲ ପରିସର ଭିତରୁ ଯଦି ନନ୍ଦକିଶୋରଙ୍କ ଗାଡି ଓ ଲୁଗାପଟା ମିଳିଲା ତେବେ ୭୭ ବର୍ଷୀୟ ବୃଦ୍ଧ ନନ୍ଦକିଶୋର ଗଲେ କୁଆଡେ? ଏଭଳି ଘଟଣା ସମ୍ପର୍କରେ ଡମପଡା ବନ ବିଭାଗ ରେଞ୍ଜର୍ଙ୍କ ପ୍ରତିକ୍ରିୟା ଶୁଣିବା ପରେ ଆଜି ନନ୍ଦକିଶୋରଙ୍କ ପୁତୁରା ଓ ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ।
ବନ କର୍ମଚାରୀମାନେ ନନ୍ଦକିଶୋରଙ୍କୁ ମାରି ଜଙ୍ଗଲ ଭିତରେ କେଉଁଠି ପୋତି ଦେଇଥାଇ ପାରନ୍ତି ବା ସାପ ମୁହଁରେ ଫିଙ୍ଗି ଦେଇଥାଇ ପାରନ୍ତି ବା ଅନ୍ୟକିଛି ଘଟାଇ ଘଟଣାକୁ ଚପାଇ ଦେଇଥିବା ସନ୍ଦେହ କରିଛନ୍ତି । ଆଜି ଅପରାହ୍ନରେ ସମାଜସେବୀ ନଳିନୀ ରାୟ ନନ୍ଦକିଶୋରଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହିତ ଏଭଳି ଘଟଣାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ।
ଅନ୍ୟପଟେ ନନ୍ଦକିଶୋରଙ୍କ ସନ୍ଧାନ ନମିଳିଲେ ପରିବାର ଲୋକେ ଓ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏଭଳି ଘଟଣା ସମ୍ପର୍କରେ ଡମପଡା ବନବିଭାଗ ରେଞ୍ଜର ବିରାଜ ଦାସ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ଜଣକ କାହାରିକୁ କିଛି ନଜଣାଇ ବିନା ଟିକେଟରେ ଜଙ୍ଗଲ ଭିତରେ ପ୍ରବେଶ କରିଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଛି ।
କିନ୍ତୁ ଉକ୍ତ ବୃଦ୍ଧଙ୍କୁ ପାଇ ନଥିବା ଓ ସେ ସେଠାରେ ଗାଡି ଛାଡି କେଉଁଆଡ଼େ ଚାଲିଯାଇ ଥାଇପାରନ୍ତି ବୋଲି ସେମାନେ ସନ୍ଦେହ କରୁଛନ୍ତି । ଅନ୍ୟପଟେ ବାଙ୍କୀ ପୁଲିସ ବିଭାଗ ପକ୍ଷରୁ ନିଖୋଜ ବୃଦ୍ଧଙ୍କ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଗାଁ ଲୋକମାନେ କହୁଛନ୍ତି ଭୁଇଁୟା ନନ୍ଦ ମଉସା ଙ୍କୁ ନେଇ ଯାଇଛି ସେ ହେଉଛନ୍ତି ଆଦିବାସୀ ମାନଙ୍କ ଦେବତା ତେବେ ତାଙ୍କୁ ଗଞ୍ଜେଇ ଭୋଗ ଦିଆଗଲେ ହିଁ ସେ ସାତ ଆଠ ଦିନ ପରେ ଛାଡି ଦେବ । ତେବେ ଏହା ଆଶ୍ଚର୍ଯ୍ୟ ଲାଗୁଛି କି ଆଜିର ଏହି ଆଧୁନିକ ଯୁଗରେ ମଧ୍ୟ ଅନ୍ଧ ବିଶ୍ୱାସ ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।