ଦାଣ୍ଡ ଦୁଆରେ କାନ୍ଦବୋବାଳି ପଡିଛି । କିଏ ରାହା ଧରି କାନ୍ଦି ଚାଲିଛି ତ ଆଉ କିଏ ମୁଣ୍ଡ ବାଡେଇ କାନ୍ଦୁଛି । ଆଉ ସେପଟେ ଏକାସାଙ୍ଗେ ବନ୍ଧା ଯାଉଛି କୋକେଇ । ସେ ବି ଗୋଟିଏ କି ଦୁଇଟି ନୁହେଁ ବରଂ ପାଞ୍ଚ ପାଞ୍ଚୋଟି କୋକେଇ । ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ଡାକରେ ସାରା ଏରିଆ କମ୍ପୁଛି । ଜଣଙ୍କ ପରେ ଜଣଙ୍କ ଶବ ଆଣି ଗାଁ ଲୋକେ କୋକେଇରେ ବାନ୍ଧୁଛନ୍ତି । ଏହି ଦୃଶ୍ୟ ଏତେ ହୃଦୟ ବିଦାରକ ଯେ ଯିଏ ଦେଖିବ ସେ ବି କାନ୍ଦି ପକେଇବ ।
ଭଗବାନ କାହାକୁ ବି ଏମିତି ଦୁଃଖ ନ ଦିଅନ୍ତୁ ବୋଲି ସେ କହିବ । ଯେତେବେଳେ ୫ଟି ଜୀବନ ଏମିତି ନିମିଷକେ ଲିଭି ଯାଉଛି ସେଠାରେ କାନ୍ଦିବା ଛଡା ପରିବାର ଲୋକଙ୍କ ପାଖରେ ଆଉ କିଛି ବି ଉପାୟ ନାହିଁ । ଗାଁ ଶ୍ମଶାନରେ ଏକାସାଙ୍ଗେ ଜଳିଥିଲା ୫ଟି ଚିତା । କିଏ କାହାକୁ ସାନ୍ତ୍ଵନା ଦେବ କିଛି ବୁଝାପଡୁନି । ପୁରା ପରିବେଶ କାନ୍ଦ ଆଉ ଚିତ୍କାରରେ କମ୍ପୁଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ବିଧାତା ଏମିତି କାହିଁକି କଲ ?
ମହୁଲ ପେଡିବା ପାଇଁ ବଡି ଭୋରରୁ ତରତର ହୋଇ ସେମାନେ ଘରୁ ବାହାରି ଯାଇଥିଲେ । ବର୍ଷ ସାରା ସଞ୍ଚିଥିବା ମହୁଲ ଟୋଲ କରି ତେଲ ଆଣିଲେ ଗୁଜୁରାଣ ମେଣ୍ଟିବ ବୋଲି ଭାବିଥିଲେ । ହେଲେ ସବୁ କିଛି ଓଲଟପାଲଟ ହୋଇଗଲା । ପାଞ୍ଚଟି ପରିବାର ଦେଖୁ ଦେଖୁ ଛାରଖାର ହୋଇଗଲା । ଗୁଜୁରାଣ ମେଣ୍ଟିବ ବୋଲି କହି ଘରୁ ସିନା ବାହାରିଥିଲେ ହେଲେ ଶବ ହୋଇ ଘରକୁ ଫେରିଲେ ।
ଆଉ ସେମାନଙ୍କ ପାଇଁ ପୁରା ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟି ପଡିଲା । କିଏ ବାପାକୁ ହରେଈ କାନ୍ଦୁଥିଲା ତ ଆଉ କିଏ କକାକୁ, ସ୍ତ୍ରୀ ସ୍ଵାମୀକୁ ହରେଈ ବେହୋସ ହୋଇପଡୁଛି ତ ପୁଅକୁ ହରେଈ ମା’ ବି ଚେତାଶୂନ୍ୟ ହୋଇଯାଉଛି । ଏହି ସବୁ ଦୃଶ୍ୟ ଦେଖିଲେ ହୃଦୟ ନଥିବା ଲୋକ ବି ନିଜ କୋହ ସମ୍ଭାଳି ପାରିବନି । ଗତକାଲି ଭୋର ସମୟରେ କାମାକ୍ଷାନଗର ୫୩ ନଂ. ଜାତୀୟ ରାଜପଥରେ ଯେଉଁ ଦୁର୍ଘଟଣା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ଏକ ଅଟୋକୁ ଟ୍ରକ ଧକ୍କା ଦେଇ ତା’ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ୫ଟି ଜୀବନ ଲିଭିଗଲା । ମୃତ୍ୟୁ କେତେବେଳେ କାହାର ହେବ ଏକଥା ତ କିଏ ଜାଣିନାହାନ୍ତି । ହେଲେ ଏହିଭଳି ଅକାଳ ମୃତ୍ୟୁ ପରିବାର ଓ ଆତ୍ମୀୟସ୍ଵଜନଙ୍କୁ କେତେ କଷ୍ଟ ଦେଇଥାଏ ତାହା ଏହି ଦୃଶ୍ୟ ବୟାନ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।