ନମସ୍କାର ବନ୍ଧୁଗଣ ତେବେ ଭାରତର ନିଜସ୍ୱ ପେମେଣ୍ଟ ସିଷ୍ଟମ ୟୁପିଆଇ ଲଞ୍ଚ ହେବା ପରେ ଏହା ସଫଳତା ହାସଲ କରିଛି । ଏହାର ସବୁଠାରୁ ବଡ କାରଣ ହେଲା ମାତ୍ର ଗୋଟିଏ ମିନିଟରେ ଲୋକେ ଟଙ୍କା ପଠାଇପାରୁଛନ୍ତି । ଏଥିପାଇଁ କୌଣସି ପ୍ରକାର ଦେୟ ଦେବାକୁ ପଡେ ନାହିଁ । ତେବେ ସ୍ଥିତି ବଦଳିବା ସହ ସମୟ ବଦଳିଛି । ବର୍ତ୍ତମାନ ୟୁପିଆଇ ପେମେଣ୍ଟ ପାଇଁ ଲୋକଙ୍କୁ ଦେୟ ଦେବାକୁ ପଡିପାରେ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ନେଇ ଡିସକସନ ପେପର ଅନ୍ ଚାର୍ଜେସ ଇନ୍ ପେମେଣ୍ଟ ସିଷ୍ଟମ ଜାରି କରିଛି । ଏହା ଜାରି କରିବା ସହ ଲୋକଙ୍କ ପାଖରୁ ଆରବିଆଇ ମତ ମାଗିଛି ।ତେବେ ଯଦି ଆପଣ କୌଣସି ଜିନିଷ କିଣିବା ପାଇଁ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ୟୁପିଆଇ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏବେ ଚାର୍ଜ ଲାଗିପାରେ । ଆରବିଆଇ ଅର୍ଥାତ ରିଜର୍ଭ ବ୍ୟାଙ୍କ ୟୁପିଆଇ ମାଧ୍ୟମରେ ହେଉଥିବା କାରବାର ଉପରେ ଶୁଳ୍କ ଆଦାୟ କରିବାକୁ ବିଚାର କରୁଛି ।
ଏହାଛଡ଼ା ଡେବିଟ୍ କାର୍ଡ ଦ୍ୱାରା ଟଙ୍କା ଟ୍ରାନ୍ସଫର ମଧ୍ୟ ଏବେ ଆପଣଙ୍କ ପକେଟ୍ ଉପରେ ଭାରି ପଡ଼ିପାରେ । ରିଜର୍ଭ ବ୍ୟାଙ୍କ ପେମେଣ୍ଟ ସିଷ୍ଟମ ଉପରେ ଶୁଳ୍କ ଆଦାୟ ନେଇ ଏକ ସମୀକ୍ଷା ପେପର ଜାରି କରିଛି । ଏଥିରେ ପେମେଣ୍ଟ ସିଷ୍ଟମରେ ଉନ୍ନତି ଆଣିବା ସହ ଟଙ୍କା କାରବାରରେ ସ୍ୱଚ୍ଛତା ଆଣିବା ନେଇ ଆଲୋଚନା ହୋଇଛି । ଏଥିରେ, ୟୁପିଆଇ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ଇତ୍ୟାଦି ଅନଲାଇନ୍ ପେମେଣ୍ଟ ପାଇଁ ସମସ୍ତ ପ୍ରକାରର ଦେୟ ବ୍ୟବସ୍ଥା ଉପଲବ୍ଧ ।
ଆରବିଆଇ ତରଫରୁ ପାଣ୍ଠି ସ୍ଥାନାନ୍ତର ପାଇଁ ହେଉଥିବା ବ୍ୟୟ ଭରଣା ୟୁପିଆଇ କାରବାରରୁ ଆଦାୟ କରିବା ଉପରେ ବିଚାର କରାଯାଉଛି । ଆରବିଆଇ ମଧ୍ୟ ଚାର୍ଜ ଲଗାଇବା ନେଇ ଲୋକଙ୍କଠାରୁ ପରାମର୍ଶ ଲୋଡ଼ିଛି । ଏହି ସମୀକ୍ଷା ପେପରରେ ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ ୟୁପିଆଇରେ ଚାର୍ଜ ନିର୍ଦ୍ଦିଷ୍ଟ ହାରରେ କିମ୍ବା ଟଙ୍କା ଟ୍ରାନ୍ସଫର ଅନୁଯାୟୀ ଚାର୍ଜ କରାଯିବା ଉଚିତ । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ, ୟୁପିଆଇ କାରବାର ଉପରେ କୌଣସି ଶୁଳ୍କ ଆଦାୟ କରାଯାଉ ନାହିଁ ।
ଏନପିସିଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ପ୍ରତି ମାସରେ ୟୁପିଆଇ ପେମେଣ୍ଟ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପରିସଂଖ୍ୟାନରୁ ଜଣାପଡିଛି ଯେ ଦେଶରେ କେବଳ ଜୁଲାଇ ମାସରେ ହିଁ ମୋଟ ୬୦୦ କୋଟି ଟ୍ରାଞ୍ଜାକ୍ସନ କରାଯାଇଛି । ଏଥିରେ ମୋଟ ୧୦.୨ ଲକ୍ଷ ଟଙ୍କା କାରବାର ହୋଇଛି । ଦେଶରେ ୟୁପିଆଇ ୟୁଜରଙ୍କ ହାର ୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।
ତେବେ ଡେବିଟ୍ କାର୍ଡ ବ୍ୟବହାର ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ଶୁଳ୍କ ଆଦାୟ ଉପରେ ବିଚାର କରୁଛି । ତେବେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତଙ୍କ ପରାମର୍ଶ ବିଚାର କରାଯିବ ବୋଲି ଆରବିଆଇ କହିଛି । ୟୁପିଆଇ ଉପରେ ଫି’ ଆଦାୟ କରାଯିବା ଉଚିତ କି ନୁହେଁ ତାହା ଉପରେ ଆପଣ ଆରବିଆଇକୁ ନିଜ ମତ ଦେଇ ପାରିବେ । ଏଥିପାଇଁ ଆପଣ [email protected] ରେ ଇ-ମେଲ ମାଧ୍ୟମରେ ଆରବିଆଇକୁ ଆପଣଙ୍କର ପରାମର୍ଶ ପଠାଇ ପାରିବେ ।
ରିଜର୍ଭ ବ୍ୟାଙ୍କର ଯୁକ୍ତି ହେଲା ଯେ ଏହାର ପଇସା ସର୍ବସାଧାରଣରେ ଲାଗିଛି । ଏଭଳି ସ୍ଥିତିରେ ଏହାର ବ୍ୟୟ ଭରଣା ହେବା ଆବଶ୍ୟକ । ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ରିଅଲ ଟାଇମ ଗ୍ରସ ସେଟେଲମେଣ୍ଟ ରେ ଆଦାୟ କରାଯାଉଥିବା ଶୁଳ୍କ ଆୟର ମାଧ୍ୟମ ନୁହେଁ । ୟୁପିଆଇ ଉପରେ ଖର୍ଚ୍ଚ ଭରଣା କରାଯିବ, ଯାହା ଦ୍ଵାରା ଭବିଷ୍ୟତରେ ଏହି ପେମେଣ୍ଟ ସିଷ୍ଟମ ବିନା କୌଣସି ପ୍ରତିବନ୍ଧକରେ ଜାରି ରହିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।