ଓଡିଶାରେ କାହିଁକି ପାଳନ କରାଯାଏ ରଜପର୍ବ ? ଏହାକୁ କୁମାରୀ ଝିଅଙ୍କ ପର୍ବ ବୋଲି କାହିଁକି କୁହାଯାଏ ? ଜାଣନ୍ତୁ ରଜପର୍ବ ପାଳନର ମହତ୍ଵ

ଓଡିଶାର ପାରମ୍ପାରିକ ଗଣପର୍ବ ରଜକୁ ପାଞ୍ଚଦିନ ଧରି ପାଳନ କରାଯାଏ । ପହିଲି ରଜର ପ୍ରଥମ ଦିନକୁ ରଜ ସଜବାଜ ଭାବେ ପାଳନ କରାଯାଏ । ପ୍ରଥମ ଦିନ ପହିଲି ରଜ, ଦ୍ଵିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନ ଭୂମିଦହନ । ସେହିପରି ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ । ଏହି ସମୟରେ ଠାକୁରାଣୀଙ୍କ ଋତୁସ୍ରାବ ହୋଇଥାଏ, ତେଣୁ ଝିଅମାନେ ଏହି ତିନିଦିନ କୌଣସି କାମ କରନ୍ତିନି ବୋଲି ବିଶ୍ବାସ କରାଯାଏ । ବର୍ଷାର ଆଗମନରେ ପୃଥିବୀମାତା ମଧ୍ୟ ରଜସ୍ଵଳା ହୁଅନ୍ତି ।

ଯାହାକି ନୂଆ ଶସ୍ଯ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ । ଏହି ସମୟରେ ଚାଷୀମାନେ ମଧ୍ୟ ହଳ ଲଙ୍ଗଳ ପୂଜା କରିବା ସହ ତିନିଦିନ ଧରି ଚାଷକାର୍ଯ୍ୟରୁ ବିରତି ନିଅନ୍ତି । ରଜରେ ପୋଡପିଠା ଓ ପାନଖିଆ ସହ ଝିଅମାନେ ରଜ ଦୋଳି ଖେଳନ୍ତି । ଆଷାଢ ମାସକୁ ଚତୁର୍ଥ ମାସିଆ ବ୍ରତର ପ୍ରଥମ ମାସ ଭାବେ ଧରାଯାଏ । ଏହି ଚାରିମାସ ମୁନିଋଷି ଓ ସାଧକମାନେ ପରିଭ୍ରମଣ ତ୍ୟାଗ କରି ଗୋଟିଏ ସ୍ଥାନରେ ରହି ସାଧନା କରିଥାନ୍ତି ।

ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ମାସ ଭାବେ ମଧ୍ୟ ପାଳନ କରାଯାଏ । ମାଟି ଓ ମୌସୁମୀର ମିଳନ ହେଉଛି ଏହି ରଜପର୍ବ । ପୃଥିବୀର ମାତୃତ୍ଵ କାମନା କରି କୃଷକ ସୃଷ୍ଟିର ଜୟଗାନ କରିଥାଏ । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି । ତିନିଦିନ ଧରି ଧରିତ୍ରୀ ମା’କୁ ବିଶ୍ରାମ ଦିଆଯାଏ । ଆଷାଢର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ । ଏହି କାରଣରୁ ଧରିଣୀ ମା’କୁ ରଜସ୍ଵଳା ସ୍ତ୍ରୀ ସହ ତୁଳନା କରାଯାଏ ।

ଆହୁରି ମଧ୍ୟ ଏହା ଅବିବାହିତ ଝିଅମାନଙ୍କ ପାଇଁ ଗର୍ଭଧାରଣ ପ୍ରାପ୍ତିର ଏକ ସାଙ୍କେତିକ ପର୍ବ । ନାରୀ ଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ ବୋଲି ଏହି ପର୍ବ ମାଧ୍ୟମରେ କୁଆଁରୀ ମାନଙ୍କୁ ଶିକ୍ଷା ଦିଆଯାଏ । ପୃଥିବୀ ମା’କୁ ଯେମିତି ବିଶ୍ରାମ ଦିଆଯାଏ କୁମାରୀମାନେ ମଧ୍ୟ ଠିକ ଏହି ତିନିଦିନ ବିଶ୍ରାମ କରନ୍ତି । ଆଗକୁ ଜଣେ ସ୍ତ୍ରୀ ଏବଂ ମା’ ଭାବେ ଦାୟିତ୍ଵ ବହନ କରି ନାରୀତ୍ଵକୁ ସାକାର କରିବାକୁ ହେବ ବୋଲି କୁମାରୀ ଝିଅମାନେ ଏଥିରୁ ଶିକ୍ଷା ଗ୍ରହଣ କରନ୍ତି ।

ଏହିଦିନ ଧରିତ୍ରୀ ମା’କୁ ସମ୍ମାନ ଦେଇ ଭୂମି ଉପରେ କେହି ଖାଲି ପାଦରେ ଚାଲନ୍ତି ନାହିଁ । ନାରୀତ୍ଵ ତଥା ମାତୃତ୍ଵକୁ ଜାକଜକମରେ ପାଳନ କରିବାକୁ ଉତ୍ସାହ ଦିଏ ଏହି ରଜପର୍ବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *