ମଞ୍ଚ ଉପରେ ଟଳିପଡିଲେ ବିଶିଷ୍ଟ ନୃତ୍ୟଗୁରୁ ! ଅଧା ରହିଗଲା ନୃତ୍ୟ ଆଉ ପୁରସ୍କାର ଗ୍ରହଣ ! ମଞ୍ଚ ଉପରେ ଦୀପ ପ୍ରଜ୍ଵଳନ ପରେ ଲିଭିଗଲା ଜୀବନ ଦୀପ !

ମଞ୍ଚ ଉପରେ ଦୀପ ଲଗାଇବା ପରେ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶନଙ୍କ ଜୀବନ ଦୀପ ଲିଭିଯାଇଛି । ଗତ ଶୁକ୍ରବାର ଅର୍ଥାତ ଜୁନ 9 ତାରିଖ ଦିନ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଘଟିଯାଇଛି ଏଭଳି ଏକ ଦୁଃଖଦ ଘଟଣା ।

ନୃତ୍ୟଗୁରୁ ଶ୍ରୀଗଣେଶନ ନୃତ୍ୟ ପରିବେଷଣ ସହ ପୁରସ୍କାର ଗ୍ରହଣ ପାଇଁ ସୁଦୂର ମାଲେସିଆରୁ ଭୁବନେଶ୍ବର ଆସିଥିଲେ । କାର୍ଯ୍ୟକ୍ରମ ଶେଷ କରି ଆଜି ମାଲେସିଆ ଫେରି ଯାଇଥାନ୍ତେ । ହେଲେ ଏହା ତାଙ୍କ ଜୀବନର ଶେଷ ଯାତ୍ରା ହୋଇଛି । ଶ୍ରୀଗଣେଶନ ମାଲେସିଆ ଫେରିବେ ସତ କିନ୍ତୁ ଶବ ହୋଇ ।

ସୂଚନା ଅନୁସାରେ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ନୃତ୍ୟଗୁରୁ ଶ୍ରୀଗଣେଶନ । ଉତ୍ସବ ଆରମ୍ଭରେ ଅନ୍ୟ ଅତିଥିଙ୍କ ସହ ମିଶି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ସେ ଦୀପ ଜଳାଇଥିଲେ ।

ହେଲେ ଦୀପ ଲଗାଇ ସାରି ନିଜ ଆସନକୁ ଫେରୁଥିବା ବେଳେ ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ସେହି ଠାରେ ହିଁ ଟଳି ପଡିଥିଲେ । ସେଠାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *