ନାଗଙ୍କର ଜନ୍ମ ରହସ୍ୟ, କାହିଁକି ନାଗ ଓ ଗରୁଡ଼ ପରସ୍ପର ଶତ୍ରୁ ?

ନମସ୍କାର ବନ୍ଧୁଗଣ ତେବେ ଆମ ପୁରାଣରେ ବର୍ଣ୍ଣିତ ଦେବଦେବୀଙ୍କ ମଧ୍ୟରୁ ଗରୁଡ ଅନ୍ୟତମ । ଗରୁଡ ପକ୍ଷୀ କୁଳର ଜାତ ହେଲେ ହେଁ ତାହାଙ୍କୁ ଦେବତା ରୂପେ ଗ୍ରହଣ କରାଯାଏ । କାରଣ ବଳ ଓ ବିକ୍ରମରେ ଗରୁଡ଼ ଅନ୍ୟ ଦେବତାମାନଙ୍କ ଠାରୁ ଉଣା ନୁହଁନ୍ତି । ପୁଣି ଗରୁଡ଼ ପରମ ବିଷ୍ଣୁଭକ୍ତ ଏବଂ ବିଷ୍ଣୁଙ୍କର ବାହନ । ପୁରାଣରେ ବର୍ଣ୍ଣନା କରାଯାଇଥିବା ବଂଶ ପରମ୍ପରା ଅନୁସାରେ ଗରୁଡ଼ ବ୍ରହ୍ମାଙ୍କ ଅଂଶରେ ଜାତ ।

ବ୍ରହ୍ମାଙ୍କଠାରୁ ମରୀଚି, ମରୀଚିଙ୍କ ଠାରୁ କଶ୍ୟପ ଓ କଶ୍ୟପଙ୍କ ଠାରୁ ଗରୁଡ଼ ଜାତ ହୋଇଥିଲେ । ତେବେ ଗରୁଡ଼ଙ୍କ ଜନ୍ମ ସମ୍ପର୍କରେ ପୁରାଣରେ ବିଶଦ ବୃତ୍ତାନ୍ତ ଅଛି । ସେଥିରୁ ଜଣାଯାଏ, ମରୀଚିଙ୍କ ପୁଅ ତଥା ବ୍ରହ୍ମାଙ୍କ ନାତି ହେଉଛନ୍ତି କଶ୍ୟପ । ସେ ଦକ୍ଷଙ୍କର ଆଠ କନ୍ୟାଙ୍କୁ ବିବାହ କରିଥିଲେ । ସେହି ଆଠ କନ୍ୟାଙ୍କ ନାଆଁ ହେଉଛି ଅତିତି, ଦିତି, ଦନୁ, କାଳିକା, ତାମ୍ରା, କ୍ରୋଧବଶା, ମନୁ ଓ ଅନନ୍ଦା।

ସେମାନଙ୍କ ମଧ୍ୟରୁ ତାମ୍ରାଙ୍କର ଥିଲେ ପାଞ୍ଚ କନ୍ୟା । ସେମାନଙ୍କର ନାଆଁ କୌଞ୍ଚୀ, ଭାଷୀ, ଶ୍ୟେନୀ, ଧୃତରାଷ୍ଟ୍ରୀ ଓ ଶୁକୀ । ତାମ୍ରଙ୍କର ଏହି ପାଞ୍ଚ କନ୍ୟାଙ୍କ ମଧ୍ୟରୁ କୌଞ୍ଚୀ ପେଚକମାନଙ୍କର ମାଆ, ଭାଷୀ ଭାଷପକ୍ଷୀମାନଙ୍କର ମାଆ; ଶ୍ୟେନୀ ଚିଲ ଆଦିଙ୍କର ମାଆ; ଧୃତରାଷ୍ଟ୍ରୀ ହଂସ, କଳହଂସ ଓ କୋକ ଆଦିଙ୍କର ମାଆ; ଶୁକୀ ଶୁକ ଆଦି ପକ୍ଷୀଙ୍କର ମାଆ । ହଂସ, କଳହଂସ ଓ କୋକଙ୍କ ମଧ୍ୟରୁ କୋକଙ୍କ ଠାରୁ ନନ୍ଦା ଓ ନନ୍ଦାଙ୍କ ଠାରୁ ବିନତା ନାମରେ ଏକ ଏକ କନ୍ୟା ଜାତ ହୋଇଥିଲେ । ବିନତାଙ୍କର ଥିଲେ ଦୁଇ ପୁଅ ଅରୁଣ ଓ ଗରୁଡ଼ ।

ଅରୁଣ ଓ ଗରୁଡ଼ଙ୍କ ଜନ୍ମ ସମ୍ପର୍କରେ ମହାଭାରତରେ ଗୋଟିଏ କାହାଣୀ ଅଛି । ସେହି କାହାଣୀଟି ହେଉଛି, ବିନତା ଓ ଅନ୍ୟ ପତ୍ନୀଙ୍କ ଛଡ଼ା କଶ୍ୟପଙ୍କର କଦ୍ରୁ ନାମରେ ଆଉ ଜଣେ ସ୍ତ୍ରୀ ଥିଲେ । ଥରେ ବିନତା ଓ କଦ୍ରୁ କଶ୍ୟପଙ୍କର ବହୁତ ସେବା କଲେ । ସେହି ସେବାରେ ସନ୍ତୁଷ୍ଟ ହୋଇ ଇଚ୍ଛା ଅନୁସାରେ ବର ମାଗିନେବାକୁ କଶ୍ୟପ ସେ ଦୁହିଁଙ୍କୁ କହିଲେ । କଦ୍ରୁ କି ବିନତା, କାହାର କିଛି ପୁଅ ଝିଅ ନଥିଲେ ।

ତେଣୁ କଦ୍ରୁ କହିଲେ, ମତେ ବର ଦିଅନ୍ତୁ ଯେପରି ସହସ୍ର ସର୍ପ ମୋର ପୁତ୍ର ରୂପେ ଜାତ ହେବେ । କଶ୍ୟପ ତାଙ୍କୁ ସେହି ବର ଦେଲେ । ବିନତା କିନ୍ତୁ କହିଲେ, ମୋର ସହସ୍ର ପୁତ୍ର ଆବଶ୍ୟକ ନାହିଁ । ମତେ ମାତ୍ର ଦୁଇଟି ପୁତ୍ର ସନ୍ତାନ ପାଇଁ ବର ଦିଅନ୍ତୁ । ସେହି ଦୁଇ ପୁତ୍ର ଯେମିତି କଦ୍ରୁଙ୍କର ସହସ୍ର ପୁତ୍ରଙ୍କଠାରୁ ଅଧିକ ଶକ୍ତିଶାଳୀ ହେବେ । କଶ୍ୟପ ତାଙ୍କୁ ସେହି ବର ଦେଲେ ।
ଶ୍ୟପଙ୍କ ବର ଅନୁଯାୟୀ ଯଥା ସମୟରେ କଦ୍ରୁ ୧୦୦୦ଟି ଅଣ୍ଡା ଦେଲେ ।

୫୦୦ ବର୍ଷ ଯାଏ ସେହି ଅଣ୍ଡାକୁ ଉଷୁମାଇବ ପରେ, ସେଥିରୁ ସହସ୍ର ସର୍ପ ବାହାରିଲେ । ସେହି ସହସ୍ର ନାଗଙ୍କୁ ପୁତ୍ରରୂପେ ପାଇ କଦ୍ରୁ ଭାରି ଖୁସି ହେଲେ। ତେବେ ବିନତା ତ’ ଦୁଇଟି ପୁତ୍ର ମାଗିଥିଲେ; ତେଣୁ ସେ ମାତ୍ର ଦୁଇଟି ଅଣ୍ଡା ଦେଲେ । ସେ ସେହି ଦୁଇ ଅଣ୍ଡାକୁ ଉଷୁମାଉ ଥାଆନ୍ତି । ଇତି ମଧ୍ୟରେ କଦ୍ରୁଙ୍କର ପୁଅମାନେ ବଡ଼ ହୋଇ ମନ ମଉଜରେ ଖେଳିବୁଲିଲେ । ତାହା ଦେଖି ବିନତାଙ୍କର ଦେହ ସହିଲା ନାହିଁ । ଧୈର୍ଯ୍ୟ ନରଖି, ସେ ଦୁଇଟି ଅଣ୍ଡାରୁ ଗୋଟିଏକୁ ଫଟାଇ ଦେଲେ ।

ସେତେବେଳେକୁ ସେହି ଅଣ୍ଡା ଭିତରେ ଛୁଆଟି ଅଧାଗଢ଼ା ହୋଇଥାଏ । ତେଣୁ ଛୁଆଟି ସେମିତି ଅଧାଗଢ଼ା ଅବସ୍ଥାରେ ଅଣ୍ଡାରୁ ଫୁଟିଗଲା । ତାହା ଦେଖି ବିନତାଙ୍କ ମନ ବହୁତ ଦୁଃଖ ହେଲା । ତାଙ୍କର ଦୁଃଖ ଦେଖି ଛୁଆଟି ତାଙ୍କୁ ସାନ୍ତ୍ୱନା ଦେଇ କହିଲା, ମୋର ତ’ ଯାହା ହେଲା ହେଲା; ମନ ଦୁଃଖ ନକରି ଧୈର୍ଯ୍ୟ ଧର । ଆହୁରି ୫୦୦ ବର୍ଷ ଉଷୁମାଇଲା ପରେ ଆର ଅଣ୍ଡାଟି ଫୁଟିବ । ତା’ ଭିତରୁ ଏକ ଅଦ୍ଭୁତକର୍ମା ପୁତ୍ର ଜାତ ହେବ । ସେହି ପୁତ୍ରଟି ହେଉଛି ଗରୁଡ଼ । ସେ ତୁମକୁ ଦାସତ୍ୱରୁ ମୁକ୍ତ କରିବ ।


ଏହା କହି ସେହି ଛୁଆ ଆକାଶକୁ ଉଠିଗଲା । ସେହି ଛୁଆର ନାଆଁ ହେଉଛି ଅରୁଣ । ଆକାଶକୁ ଉଡିଯାଇ ସେ ସୂର୍ଯ୍ୟଙ୍କର ସାରଥୀ ହେଲା । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଯେଉଁ ଅରୁଣସ୍ତମ୍ଭ ଅଛି, ତା’ ଉପରେ ଏହି ଅରୁଣ ଅଛନ୍ତି । ତେବେ ବିନତା କାହିଁକି କଦ୍ରୁଙ୍କର ଦାସୀ ହୋଇ ରହିଥିଲେ ସେ ସମ୍ପର୍କରେ ମଧ୍ୟ ଗୋଟିଏ କାହାଣୀ ଅଛି । କଦ୍ରୁ ଓ ବିନତା କଶ୍ୟପଙ୍କର ଦୁଇ ପତ୍ନୀ ହେଲେ ହେଁ ଦୁହିଁଙ୍କ ଭିତରେ ମନ ମେଳ ନଥାଏ ।

ତେଣୁ ମଝିରେ ମଝିରେ ଦୁହିଁଙ୍କ ଭିତରେ କଥା କଟାକଟି ହୁଏ । ଜିଦାଜିଦି ପଡ଼େ । ସେହିପରି ଥରେ ଜିଦାଜିଦି ପଡ଼ିଲା ଯେ ଉଚ୍ଚୈଶ୍ରବା ଅଶ୍ୱର ଲାଞ୍ଜ କଳା ନା ଧଳା? କଦ୍ରୁ କହିଲେ, ଉଚ୍ଚୈଶ୍ରବାର ଲାଞ୍ଜ କଳା । ମାତ୍ର ବିନତା କହିଲେ, ନା, ଉଚ୍ଚୈଶ୍ରବାର ରଙ୍ଗ ଧଳା, ତେଣୁ ତା’ର ଲାଞ୍ଜ ମଧ୍ୟ ଧଳା । ଏହିପରି କଥା କଟାକଟିରେ ଜିଦି ପଡ଼ିଲା ଯେ ଯିଏ ହାରିବ ସିଏ ଆର ଜଣଙ୍କର ଦାସୀ ହୋଇ ରହିବ ।

କଥା ରହିଲା, ପରଦିନ ସକାଳେ ଦୁହେଁ ସାଙ୍ଗ ହୋଇ ଯାଇ ଦେଖିବେ ଉଚ୍ଚୈଶ୍ରବାର ଲାଞ୍ଜ କଳା କି ଧଳା । ପରଦିନ ଦୁହେଁ ସାଙ୍ଗ ହୋଇ ଗଲେ । ମାତ୍ର ଯାଇ ଦେଖନ୍ତି ଯେ ଉଚ୍ଚୈଶ୍ରବାର ଲାଞ୍ଜ କଳା । ବିନତା ହାରିଲେ । କିନ୍ତୁ ଅସଲ କଥା ହେଲା, ଉଚ୍ଚୈଶ୍ରବା ଧଳା, ତେଣୁ ତାହାର ଲାଞ୍ଜ ମଧ୍ୟ ଧଳା । ମାତ୍ର କଦ୍ରୁଙ୍କର ହଜାରେ ନାଗ ଛୁଆ ଯାଇ ଉଚ୍ଚୈଶ୍ରବାର ଲାଞ୍ଜରେ ଏପରି ଝୁଲି ରହିଥିଲେ ଯେ ଲାଞ୍ଜ କଳା ଦେଖାଯାଉଥିଲା ।

ମାତ୍ର ସର୍ତ୍ତ ଅନୁସାରେ ବିନତା ହାରିଲେ । ତେଣୁ କଦ୍ରୁ ତାଙ୍କୁ ନିଜର ଦାସୀ କରି ରଖିଲେ । ସେତେବେଳକୁ ଗରୁଡ଼ ଜନ୍ମ ହୋଇ ନଥାନ୍ତି । ଆଉ ପାଞ୍ଚଶହ ବର୍ଷ ବିନତା ଅଣ୍ଡାକୁ ଉଷୁମାଇଲା ପରେ ଅଣ୍ଡାଟି ଫୁଟିଲା । ସେଥିରୁ ବାହାରିଲେ ଗରୁଡ଼ । ଜନ୍ମ ହେବାମାତ୍ରେ ଗରୁଡ଼ଙ୍କର ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସେ ଅଣ୍ଡାରୁ ଫୁଟି ମାଟିରେ ଠିଆ ହେବା ମାତ୍ରେ ମେଦିନୀ କମ୍ପି ଉଠିଲା ।

ତେବେ କଦ୍ରୁ ଓ ତାଙ୍କର ହଜାରେ ନାଗବଚ୍ଚା ବିନତାଙ୍କୁ ଭାରି ହଇରାଣ ହରକତ କରୁଥାଆନ୍ତି । ତାହା ଦେଖି ଗରୁଡ଼ ଖୁବ୍ ଦୁଃଖୀ ହେଲେ । ଠିକ୍ କଲେ ବିନତାଙ୍କୁ ମୁକ୍ତ କରିଦେବା ପାଇଁ କଦ୍ରୁଙ୍କୁ ଯାଇ ଅନୁରୋଧ କରିବେ । ମାତ୍ର ଗରୁଡଙ୍କ କଥା ଶୁଣି କଦ୍ରୁ କହିଲେ, ସ୍ୱର୍ଗରୁ ଯଦି ମତେ ଅମୃତ ଆଣି ଦେଇପାରିବୁ, ତା’ହେଲେ ଯାଇ ମୁଁ ତୋ’ ମାଆକୁ ଦାସୀ ପଣରୁ ମୁକ୍ତ କରିବି । ନହେଲେ ତୋ’ ମାଆ ପରି ତୁ ବି ମୋର ଦାସ ହୋଇ ରହ ତାହା ଶୁଣି ଗରୁଡ଼ ଠିକ୍ କଲେ, ଯେପରି ହେଉ, ସ୍ୱର୍ଗକୁ ଯାଇ ଅମୃତ ଆଣିବେ ଏବଂ ମାଆଙ୍କୁ ଦାସତ୍ୱରୁ ମୁକ୍ତ କରିବେ ।

ସେଥିାଇଁ ସେ ଯାଇ ବିନତାଙ୍କ ଠାରୁ ଅନୁମତି ନେଲେ । ତାଙ୍କୁ ଅନୁମତି ଦେଇ ବିନତା କହିଲେ, ମୁଁ ଆଶୀର୍ବାଦ କରୁଛି, ତୋ’ର ଡେଣାକୁ ବାୟୁ, ଶରୀରର ନିମ୍ନଭାଗକୁ ସୂର୍ଯ୍ୟ ଓ ଚନ୍ଦ୍ର, ଅନ୍ୟସବୁ ଅଂଗକୁ ବସୁଗଣ ଓ ମସ୍ତକକୁ ଅଗ୍ନି ରକ୍ଷା କରିବେ । ତା’ ପରେ ଗରୁଡ଼ ପିତା କଶ୍ୟପଙ୍କ ଆଶୀର୍ବାଦ ନେଲେ । କଶ୍ୟପ ସେତେବେଳକୁ ଅରଣ୍ୟରେ ଯାଇ ତପସ୍ୟା କରୁଥିଲେ । ତାଙ୍କଠୁ ଆର୍ଶୀବାଦ ନେଇ ଗରୁଡ଼ ଡେଣା ମେଲି ଆକାଶକୁ ଉଡ଼ିଗଲେ । ତାଙ୍କର ଡେଣାର ପବନରେ ବଡ଼ ବଡ଼ ଗଛ ସବୁ ଉପୁଡି ପଡ଼ିଲା ।

ଉଡ଼ି ଯାଉ ଯାଉ ଗରୁଡ଼ ଗୋଟିଏ ବଡ଼ ଗଛ ଦେଖିଲେ । ସେହି ଗଛର ଡାଳମାନ ଶହେ ଯୋଜନ ଲମ୍ବିଥିଲା । ମାତ୍ର ଏତେବଡ଼ ଗଛ ହୋଇ ମଧ୍ୟ ଗରୁଡ଼ ତାର ଡାଳରେ ଆସି ବସିବା ମାତ୍ରେ ଡାଳଟି ତାଙ୍କ ଭାର ସମ୍ଭାଳି ନ ପାରି ମଡ଼ମଡ଼ ହୋଇ ଭାଙ୍ଗି ପଡ଼ିଲା । ସେହି ଡାଳରେ ବାଳଖିଲ୍ୟ ଋଷିମାନେ ତଳକୁ ମୁଣ୍ଡ କରି ଝୁଲି ତପସ୍ୟା କରୁଥିଲେ । ଗରୁଡ଼ ଭାବିଲେ, ଡାଳଟି ତଳେ ପଡ଼ିବାମାତ୍ରେ ଋଷିମାନେ କଚାଡ଼ି ହୋଇ ମରିଯିବେ । ତେଣୁ ତଳେ ପଡ଼ିବା ଆଗରୁ ଡାଳଟିକୁ ସେ ଥଣ୍ଟରେ ଧରି ପକାଇଲେ ।

କିନ୍ତୁ ଡାଳଟିକୁ ରଖିବେ କେଉଁଠି? ଏମିତି ଜାଗାରେ ରଖିବାକୁ ପଡ଼ିବ ଯେମିତିକି ବାଳଖିଲ୍ୟ ଋଷିମାନଙ୍କର ତପସ୍ୟା ଭାଙ୍ଗିନଯିବ ବା ତାଙ୍କର କିଛି ଅନିଷ୍ଟ ନହେବ । ତେଣୁ ଡାଳ ସହିତ ଋଷିମାନଙ୍କୁ ନେଇ ସେ ଚାଲିଲେ କଶ୍ୟପଙ୍କ ପାଖକୁ । କଶ୍ୟପ ଗରୁଡ଼ଙ୍କ ପକ୍ଷରୁ ଋଷିମାନଙ୍କୁ କ୍ଷମା ମାଗିଲେ ଏବଂ ଡାଳଟିକୁ ନିରାପଦରେ ନେଇ ସମୁଦ୍ର ମଝିରେ ଗୋଟିଏ ଜାଗାରେ ରଖିବାକୁ କହିଲେ । ଗରୁଡ଼ ଡାଳଟିକୁ ନେଇ ସମୁଦ୍ର ମଝିରେ ଯେଉଁ ଜାଗାରେ ରଖିଲେ, ସେହି ଜାଗାଟି ହେଲା ଲଙ୍କା ଦ୍ୱୀପ । ସେଠାରେ ଗରୁଡ଼ ଭୋଜନ ସାରି ଅମୃତ ପାଇଁ ପୁଣି ଦେବଲୋକ ଆଡ଼କୁ ଉଡ଼ିଗଲେ ।

ତେବେ ଗରୁଡ ଅମୃତ କଳସ ଅପହରଣ କରିନେବା ଦେଖି ଇନ୍ଦ୍ର ଗରୁଡ଼ଙ୍କ ଉପରେ ବଜ୍ର ପ୍ରହାର କଲେ । ମାତ୍ର ସେଥିରେ ଗରୁଡ଼ଙ୍କର ପ୍ରାୟ କିଛି କ୍ଷତି ହେଲା ନାହିଁ । କେବଳ ତାଙ୍କ ଡେଣାରୁ ପରଟିଏ ଖସିଡ଼ିଲା । ସେହି ପରଟି ଖୁବ୍ ସୁନ୍ଦର ଥିଲା । ତାହାକୁ ଦେଖି ସମସ୍ତେ ଗରୁଡ଼ଙ୍କୁ କହିଲେ ‘ସୁପର୍ଣ୍ଣ’ । ଏତେ ଶକ୍ତିଶାଳୀ ବଜ୍ରର ଆଘାତରେ ଗରୁଡ଼ଙ୍କ ଡେଣାରୁ ମାତ୍ର ଗୋଟିଏ ପର ଖସିବା ଦେଖି ଇନ୍ଦ୍ର ବିସ୍ମିତ ହେଲେ । ଭାବିଲେ, ଗରୁଡ଼ଙ୍କୁ ବଳ, ବିକ୍ରମରେ ପାରିହେବ ନାହିଁ । ତେଣୁ ଯାଇ ତାଙ୍କ ସହିତ ବନ୍ଧୁତା କଲେ । ଗରୁଡ କହିଲେ, ଗୋଟିଏ ସର୍ତ୍ତରେ ମୁଁ ଅମୃତ କଳସ ଫେରାଇବାକୁ ରାଜି ।

ସେହି ସର୍ତ୍ତଟି ହେଉଛି, ଆଜିଠାରୁ ନାଗମାନେ ହିଁ ମୋର ଆହାର ହେବେ । ଇନ୍ଦ୍ର କହିଲେ, ତାହା ହିଁ ହେଉ । ତା’ ପରେ ଗରୁଡ଼ ଇନ୍ଦ୍ରଙ୍କୁ କହିଲେ, ଏ ଅମୃତ ମୁଁ ମୋ’ ପାଇଁ ନେଉ ନାହିଁ । ନାଗମାନେ ମୋ’ ମାଆ ବିନତାଙ୍କୁ ଦାସୀ କରି ରଖିଛନ୍ତି । ଏ ଅମୃତ ନେଇ ନ ଦେଲେ ସେମାନେ ମୋ’ ମାଆଙ୍କୁ ଦାସୀପଣରୁ ମୁକ୍ତ କରିବେ ନାହିଁ । ଏଣୁ ଅମୃତ କଳସଟି ମୁଁ ସେମାନଙ୍କୁ ଦେଇ ଆଗ ମୋ’ ମାଆ ବିନତାଙ୍କୁ ମୁକ୍ତ କରିଦିଏ ଅମୃତ କଳସଟି ସେମାନଙ୍କଠାରୁ ଅପହରଣ କରି ଆଣିବାର ଉପାୟ ତୁମେ କର ।


ଗରୁଡ଼ଙ୍କର ଏ କଥାରେ ଇନ୍ଦ୍ର ରାଜି ହେଲେ । ଗରୁଡ଼ ଏଥର ଅମୃତ କଳସଟି ଧରି କଦ୍ରୁ ଓ ତାଙ୍କର ସହସ୍ର ନାଗବଚ୍ଚାଙ୍କ ପାଖକୁ ଚାଲିଲେ । ସେମାନଙ୍କ ପାଖରେ ପହଞ୍ଚି କହିଲେ, ଏଇ ଅମୃତ କଳସଟି ନିଅ ଏବଂ ମୋ’ ମାଆ ବିନତାଙ୍କୁ ମୁକ୍ତ କରିଦିଅ । କଦ୍ରୁ ଓ ଅନ୍ୟ ନାଗମାନେ ଅମୃତ କଳସ ଦେଖି ଭାରି ଖୁସି ହେଲେ । ଭାବିଲେ, ଅମୃତ ଖାଇ ସେମାନେ କାଳକାଳକୁ ଅମର ହୋଇଯିବେ । ତେଣୁ କଳରୋଳ କରି ଅମୃତ ଖାଇବାକୁ ଧାଇଁ ଆସିଲେ ।

ମାତ୍ର ଗରୁଡ଼ ସେମାନଙ୍କୁ ବାରଣ କରି କହିଲେ, ଅମୃତ ପରି ପବିତ୍ର ଜିନିଷକୁ ଏପରି ଅପରିଷ୍କାର, ଅଶୁଦ୍ଧ ହୋଇ ସ୍ପର୍ଶ କରିବା ଉଚିତ ନୁହେଁ । ଏଇଠି ଏକ ଦର୍ଭ ଘାସ ବା କୁଶ ଉପରେ ତୁମର ଅମୃତ କଳସଟି ରହିଲା । ଏଥର ମୋ’ ମାଆ ବିନତାଙ୍କୁ ମୁକ୍ତ କରିଦିଅ । ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ ହୋଇ, ସ୍ନାନ ସାରି ଆସ, ତା’ ପରେ ଅମୃତ ଖାଇବ । ଗରୁଡ଼ଙ୍କ କଥା ଅନୁସାରେ କଦ୍ରୁ ଓ ନାଗବଚ୍ଚାମାନେ ଆଗ ବିନତାଙ୍କୁ ମୁକ୍ତ କରିଦେଲେ । ତା’ପରେ ଆନନ୍ଦ ମନରେ ସ୍ନାନ କରିବାକୁ ଚାଲିଗଲେ । ସେମାନଙ୍କ ଅନୁସ୍ଥିତିର ସୁଯୋଗ ନେଇ ଇନ୍ଦ୍ର ଅମୃତ କଳସଟିକୁ ସେଠାରୁ ଅପହରଣ କରି ନେଇ ଆସିଲେ ।

ଏଣେ ନାଗମାନେ ଆନନ୍ଦ ମନରେ ସ୍ନାନ ସାରି ଆସି ଦେଖନ୍ତି ତ ଦର୍ଭ ଘାସ ଉପରେ ଅମୃତ କଳସଟି ନାହିଁ । ଅମୃତ କଳସଟିକୁ କିଏ ନେଲା, କୁଆଡେ଼ ନେଲା ବୋଲି ସେମାନେ ଏଣେତେଣେ ବହୁତ ଖୋଜିଲେ ମାତ୍ର ପାଇଲେ ନାହିଁ । ଶେଷରେ ବିକଳ ହୋଇ, ଦର୍ଭ ଘାସ ଉପରେ ଯେଉଁଠି ଅମୃତ କଳସଟି ଥିଲା, ସେ ଜାଗାକୁ ଚାଟି ପକାଇଲେ । ଫଳରେ ସେହି ଘାସର ଦାଢ଼ରେ ସେମାନଙ୍କର ଜିଭ କଟିଯାଇ ଦି’ଫାଳ ହୋଇଗଲା । ସେଇଦିନଠୁ ନାଗମାନେ ହେଲେ ଦ୍ୱିଜିହ୍ୱା । ମାଆ ବିନତାଙ୍କୁ ଦାସୀ କରି ରଖିଥିବାରୁ ନାଗମାନଙ୍କ ସହିତ ଗରୁଡ଼ଙ୍କର ଆଜନ୍ମ ଶତ୍ରୁତା ଥାଏ । ଦାଉ ସାଧିବାକୁ ଇନ୍ଦ୍ରଙ୍କ ବର ତାଙ୍କୁ ଆହୁରି ସୁବିଧା କରିଦେଲା ।

 

Leave a Reply

Your email address will not be published. Required fields are marked *